ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

କେନ୍ଦୁଝର ଜିଲ୍ଲା ୧ ଜାନୁଆରୀ ୧୯୪୮ ମସିହାରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପ୍ରଶାସନିକ ଜିଲ୍ଲା ଭାବେ ଗଠିତ ହୋଇଥିଲା । କେନ୍ଦୁଝର ଜିଲ୍ଲାର ପୂର୍ବରେ ମୟୁରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା ଓ ଭଦ୍ରକ ଜିଲ୍ଲା, ଦକ୍ଷିଣରେ ଯାଜପୁର ଜିଲ୍ଲା, ପଶ୍ଚିମରେ ଢ଼େଙ୍କାନାଳ ଜିଲ୍ଲା, ଅନୁଗୁଳ ଜିଲ୍ଲା ଓ ସୁନ୍ଦରଗଡ଼ ଜିଲ୍ଲା ଏବଂ ଉତ୍ତରରେ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାମାନ ଅବସ୍ଥିତ । ଏହି ଜିଲ୍ଲାର କ୍ଷେତ୍ରଫଳ ୮,୩୦୩ ବର୍ଗ କି.ମି. ଅଟେ । ଭୌଗୋଳିକ ଅବସ୍ଥିତି ଅନୁସାରେ ଏହି ଜିଲ୍ଲା ୨୧.୧° ଉ.ରୁ ୨୨.୧୦° ଉ. ଅକ୍ଷାଂଶ ଏବଂ ୮୫.୧୧° ପୂ.ରୁ ୮୬.୨୨° ପୂ. ଦ୍ରାଘିମା ମଧ୍ୟରେ ଅବସ୍ଥିତ ଓ ସମୁଦ୍ର ପତ୍ତନଠାରୁ ହାରାହାରି ଉଚ୍ଚତା ୪୮୦ ମିଟର ।

୨୦୧୧ ଜନଗଣନା ଅନୁସାରେ କେନ୍ଦୁଝର ଜିଲ୍ଲାର ମୋଟ ଜନସଂଖ୍ୟା ୧୮,୦୧,୭୩୩ । ଏଥି ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ହେଉଛି ୯,୦୬,୪୮୭ ଓ ମହିଳାଙ୍କ ସଂଖ୍ୟା ୮,୯୫,୨୪୬ । କେନ୍ଦୁଝର ଜିଲ୍ଲାର ହରିଜନ ଲୋକସଂଖ୍ୟା ୨,୦୯,୩୫୭ ଏବଂ ଆଦିବାସୀ ଲୋକସଂଖ୍ୟା ୮,୧୮,୮୭୮ ।

କେନ୍ଦୁଝର ଜିଲ୍ଲାକୁ ପ୍ରଶାସନିକ ଦୃଷ୍ଟିରୁ ତିନୋଟି ସବଡ଼ିଭିଜନ ଭାବେ ଯଥା:- ଆନନ୍ଦପୁର, ଚମ୍ପୁଆ, କେନ୍ଦୁଝରରେ ବିଭକ୍ତ କରାଯାଇଛି । ଜିଲ୍ଲାରେ ୧୩ଟି ତହସିଲ, ୧୩ଟି ବ୍ଲକ୍, ୨୯୭ଟି ଗ୍ରାମପଞ୍ଚାୟତ, ୨୧୩୨ଟି ଗ୍ରାମ, ୪ଟି ନଗରପାଳିକା (ମ୍ୟୁନିସିପାଲିଟି), ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ.ଏ.ସି.) ପ୍ରଶାସନିକ ଭାବେ କାର୍ଯ୍ୟ କରୁଅଛି ।

କେନ୍ଦୁଝର ଜିଲ୍ଲାର ଜଳବାୟୁ ସାଧାରଣତଃ ଗ୍ରୀଷ୍ମକାଳରେ ଅତ୍ୟଧିକ ଗରମ ଏବଂ ଶୀତରେ ଅତ୍ୟଧିକ ଶୀତଳ ହୋଇଥାଏ । ଗ୍ରୀଷ୍ମ ସମୟରେ ଜିଲ୍ଲାର ଜଳବାୟୁ ସାଧାରଣତଃ ଅତ୍ୟଧିକ ଆର୍ଦ୍ର ଏବଂ ଉଷ୍ଣ ରହେ । ସାଧାରଣତଃ ମାର୍ଚ୍ଚ ମାସରୁ ଗ୍ରୀଷ୍ମ ଋତୁର ପ୍ରଭାବ ଅନୁଭୂତ ହୁଏ, କିନ୍ତୁ ମଇ ମାସରେ ଏହା ସର୍ବାଧିକ ହୋଇଥାଏ । ଏହି ସମୟରେ ଜିଲ୍ଲାର ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଣ୍ଟିଗ୍ରେଡ ଟପିଯାଇଥାଏ । ସାଧାରଣତଃ ଜୁନ ମାସରେ ବର୍ଷାର ଆଗମନ ଦ୍ୱାରା ତାପମାତ୍ରା କମିଥାଏ ଓ ଅକ୍ଟୋବର ମାସର ଶେଷ ପର୍ଯ୍ୟନ୍ତ ଜଳବାୟୁ ସୁଖଦ ଅନୁଭୂତ ହୋଇଥାଏ । ଶୀତକାଳରେ ଜିଲ୍ଲାର ଜଳବାୟୁ ଶୀତଳ ଏବଂ ଶୁଷ୍କ ରହିଥାଏ । ଡିସେମ୍ବର ମାସରେ ସର୍ବନିମ୍ନ ତାପମାତ୍ରା ସାଧାରଣତଃ ୧୧.୭ ଡିଗ୍ରୀ ସେଣ୍ଟିଗ୍ରେଡ ରହିଥାଏ, କେବେକେବେ ଏହା ୭ ଡିଗ୍ରୀ ସେଣ୍ଟିଗ୍ରେଡ ଯାଏ ଖସି ଆସିଥାଏ । ଜିଲ୍ଲାରେ ବାର୍ଷିକ ହାରାହାରି ୧୫୩୪.୫ ମି.ମି. ବୃଷ୍ଟିପାତ ହୋଇଥାଏ ।

କେନ୍ଦୁଝର ଓଡ଼ିଶାର ପ୍ରମୁଖ ଖଣିଜ ଉତ୍ପାଦକ ଜିଲ୍ଲା ମାନଙ୍କ ମଧ୍ୟରୁ ଅନ୍ୟତମ । ଜିଲ୍ଲାରେ ମୁଖ୍ୟତଃ ଲୁହାପଥର, ମାଙ୍ଗାନିଜ, କ୍ରୋମାଇଟ, କ୍ୱାର୍ଜାଇଟ, ବକ୍ସାଇଟ, ସୁନା, ପାଇରୋଫିଲାଇଟ ଓ ଚୂନ ପଥର ଆଦି ଖଣିଜ ମିଳିଥାଏ । କଳିଙ୍ଗ ଆଇରନ ୱାର୍କ୍ସ (ବଡ଼ବିଲ), ଫେରୋ ମାଙ୍ଗାନିଜ ପ୍ଲାଣ୍ଟ (ଯୋଡ଼ା), ଇପିଟାଟା (ବିଲେଇପଦା), ଚାର୍ଜ କ୍ରୋମ (ବ୍ରାହ୍ମଣୀପାଳ) ଆଦି କେନ୍ଦୁଝର ଜିଲ୍ଲାରେ ଶିଳ୍ପ ଉଦ୍ୟୋଗର ପ୍ରମୁଖ ନାମ । ଏହା ସହିତ ଇଞ୍ଜିନିୟରିଂ ଓ ଧାତୁ ଶିଳ୍ପ ଉଦ୍ୟୋଗ (୫୩ଟି), ପ୍ଲାଷ୍ଟିକ ଶିଳ୍ପ ଉଦ୍ୟୋଗ (୪୮ଟି), କୃଷି ଓ ସାମୁଦ୍ରିକ ଆଧାର ଉଦ୍ୟୋଗ (୨୪୨ଟି) ମାନ ଜିଲ୍ଲାରେ କାର୍ଯ୍ୟ କରୁଅଛି ।

କେନ୍ଦୁଝର ଜିଲ୍ଲାରେ ମୁଖ୍ୟତଃ ଧାନ, ମକା, ତିଳ, ହରଡ଼ ଓ ନାଇଜର(ରାମତିଳ) ଚାଷ ହୋଇଥାଏ ।
କେନ୍ଦୁଝର ଜିଲ୍ଲାରେ ବର୍ଷସାରା ଅନେକ ପର୍ବପର୍ବାଣୀ ପାଳିତ ହୋଇଥାଏ । ସରହୁଲ, ସୋହରାଇ, କରମାପୂଜା, ଚୈତ୍ର ପର୍ବ, ମକର ସଂକ୍ରାନ୍ତି, ନୂଆଖାଇ, ରଜ ପର୍ବ, ବରୁଣୀ ଯାତ୍ରା, ରଥ ଯାତ୍ରା, ଶିବରାତ୍ରୀ ଆଦି ଜିଲ୍ଲାରେ ମୁଖ୍ୟ ପର୍ବ ଭାବେ ପାଳନ କରାଯାଇଥାଏ । ଅନ୍ୟ ସ୍ଥାନୀୟ ପର୍ବପର୍ବାଣୀ ମଧ୍ୟରେ ରାମ ନବମୀ, ଦଶହରା, ଦୋଳ ପୂର୍ଣ୍ଣିମା, ରାସ ଯାତ୍ରା, ବଡ଼ ଓଷା ଓ ଚନ୍ଦନ ଯାତ୍ରା ଆଦି ପାଳିତ ହୋଇଥାଏ ।