ଇତିହାସ

ଓଡ଼ିଶା ସହିତ ମିଶିବା ପୂର୍ବରୁ ସଂପୂର୍ଣ୍ଣ କେନ୍ଦୁଝର ଜିଲ୍ଲା ଏକ ଗଡ଼ଜାତ ରାଜ୍ୟ ଥିଲା । ଅନୁମାନ କରାଯାଏ ଯେ ଏହା ପୂର୍ବତନ ଖିଜିଙ୍ଗା ରାଜ୍ୟର ଅଂଶ ଥିଲା, ଯାହାର ମୁଖ୍ୟାଳୟ ‘ଖିଜିଙ୍ଗା କୋଟା’ଠାରେ ଥିଲା; ଖିଜିଙ୍ଗା କୋଟା ଏବେ ଆଧୁନିକ ଖିଚିଂ ନାମରେ ଜଣାଶୁଣା । ୧୨ଶ ଶତାବ୍ଦୀର ଆଦ୍ୟ ଭାଗରେ ଏହା ଏକ ସ୍ଵତନ୍ତ୍ର ରାଜ୍ୟରେ ପରିଣତ ହେଲା, ଯାହାର ରାଜା ହେଲେ ଜ୍ୟୋତି ଭଞ୍ଜ।

ସେ ସମୟରେ କେନ୍ଦୁଝର ରାଜ୍ୟ ଆଧୁନିକ କେନ୍ଦୁଝରର କେବଳ ଉତ୍ତର ଭାଗକୁ ନେଇ ଗଠିତ ହୋଇଥିଲା । ୧୫ଶ ଶତାବ୍ଦୀର ଶେଷାର୍ଦ୍ଧରେ ରାଜା ଗୋବିନ୍ଦ ଭଞ୍ଜ ଦକ୍ଷିଣ ଭାଗକୁ ରାଜ୍ୟରେ ମିଶାଇଥିଲେ । ଗୋବିନ୍ଦ ଭଞ୍ଜଙ୍କ ସମୟରେ କେନ୍ଦୁଝର ରାଜ୍ୟ ଉତ୍ତରରେ ସିଂହଭୂମଠାରୁ ଦକ୍ଷିଣରେ ସୁକିନ୍ଦା ଯାଏଁ ଏବଂ ପୂର୍ବରେ ମୟୂରଭଞ୍ଜ ଠାରୁ ପଶ୍ଚିମରେ ବଣାଇ, ପାଲଲହଡା ଓ ଅନୁଗୁଳ ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା ।

ରାଜା ପ୍ରତାପ ବଳଭଦ୍ର ଭଞ୍ଜଙ୍କ(୧୭୬୪ଖ୍ରୀ.-୧୭୯୨ଖ୍ରୀ.)ସମୟରେ ଟିଲୋ ଓ ଯୁଝପଡ଼ା ଅଞ୍ଚଳ ଦୁଇଟିକୁ କଣ୍ଟାଝରୀ ଜମିଦାରୀରୁ କିଣାଯାଇ ରାଜ୍ୟରେ ମିଶାଗଲା । ୧୮୦୪ ମସିହାରେ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ରାଜା ଜନାର୍ଦନ ଭଞ୍ଜଙ୍କୁ ଦିଆଯାଇଥିବା ସନନ୍ଦରେ ଏହି ଅଞ୍ଚଳଗୁଡିକ କେନ୍ଦୁଝର ରାଜ୍ୟର ଅଧୀନରେ ଥିବାର ଦର୍ଶାଯାଇଥିଲା । ସେହି ସମୟରୁ ଓଡ଼ିଶା ସହିତ ମିଶିବାଯାଏ କେନ୍ଦୁଝର ରାଜ୍ୟର ସୀମାରେ କୌଣସି ପରିବର୍ତ୍ତନ ହୋଇନଥିଲା । କିନ୍ତୁ, ଓଡ଼ିଶା ସହିତ ମିଶ୍ରଣ ପରେ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ଟିଲୋ (୭.୫୧ ବର୍ଗ କିମି.) ଏବଂ ଯୁଝପଡା (୯.୦୬ ବର୍ଗ କିମି.) ଅଞ୍ଚଳ ଦୁଇଟିକୁ ଯଥାକ୍ରମେ ବାଲେଶ୍ୱର ଓ କଟକ ଜିଲ୍ଲାକୁ ହସ୍ତାନ୍ତର କରାଗଲା । ଏହା ବଦଳରେ ବାଲେଶ୍ଵର ଜିଲ୍ଲାର ଆମ୍ବୋ ଅଞ୍ଚଳର କିଛି ଗ୍ରାମ (୧୪.୮୪ ବର୍ଗ କିମି.) କେନ୍ଦୁଝରର ଅଧୀନ କରାଗଲା ।